Unknown

 

 

 

 

 

 

 

 

 

 

 

ଉତ୍ତପ୍ତ ମରୁଭୂମି : ବେଦୁଇନ୍ ପିଲା

ଅଧିରାଜ ମୋହନ ସେନାପତି

 

ଉତ୍ତପ୍ତ ମରୁଭୂମି : ବେଦୁଇନ୍ ପିଲା

Image

 

ଗଲାଥର କାହ୍ନୁ ଆଉ ଜହ୍ନମାମୁଁ ବରଫର ଦେଶ ଗ୍ରୀନ୍‌ଲାଣ୍ଡରେ ବୁଲି ଆସିଲେ । ସେଠାରେ ଏସ୍କିମୋମାନଙ୍କ ସାଙ୍ଗରେ ଚାରିଦିନ କାଳ ଆନନ୍ଦରେ କଟାଇଲେ । ଓଃ, ବାପରେ ବାପ୍ ! କି ଥଣ୍ଡା ଦେଶ ସେ !

 

କାହ୍ନୁର ଭାରି ଇଚ୍ଛା ଆଉ ଥରେ ଆଉ ଗୋଟାଏ ଦେଶ ବୁଲି ଆସନ୍ତା । କାହ୍ନୁ ତ ପିଲାଲୋକ, ସେ ଏକା ଏକା ଦେଶଭ୍ରମଣରେ ଯିବ ଅବା କିପରି ? ତହୁଁ ସେ ହାତଠାରି ଅତି ଶରଧାରେ ଜହ୍ନମାମୁଁଙ୍କୁ ଡାକିଲା ।

 

Image

ଜହ୍ନମାମୁଁ ଠେକୁଆ ପିଠିରେ ଚଢ଼ି କାହ୍ନୁ ପାଖରେ ଉପସ୍ଥିତ

 

ଜହ୍ନମାମୁଁ ଠେକୁଆ ପିଠିରେ ବସି ହାତରେ ଖଣ୍ଡିଏ ବାଡ଼ିଧରି କାହ୍ନୁ ପାଖରେ ଉପସ୍ଥିତ । ମାମୁଁ ଭଣଜାକୁ ଅତି ଆଦର କରନ୍ତି । ତାକୁ ଆଉ ଥରେ ବୁଲାଇ ଆଣିଲେ ସେ କେଡ଼େ ଖୁସି ନ ହେବଟି ?

 

ଜହ୍ନମାମୁଁ ଠେକୁଆ ପିଠିରେ ବସିଲେ । କାହ୍ନୁ ଜହ୍ନମାମୁଁଙ୍କ କୋଳରେ ବସିଲା । ଜହ୍ନମାମୁଁ ସଙ୍କେତ ଦେଲେ–ଏକ, ଦୁଇ, ତିନି । ସାଙ୍ଗେ ସାଙ୍ଗେ ତିନିହେଁ ଆକାଶରେ ଉଡ଼ି ଉଡ଼ି ଗଲେ । ଯାଇ ପହଞ୍ଚିଲେ ଗୋଟାଏ ଦେଶରେ । ଦେଶଟାଯାକ ଖାଲି ମରୁଭୂମି । ଯେଉଁ ଆଡ଼କୁ ଚାହିଁଲେ ବାଲି, ବାଲି, ବାଲି ।

 

କାହୁ କହିଲା–କାହିଁ ? ଏଠାରେ ଜନମାନବ କେହି ନାହାନ୍ତି, ଗଛପତ୍ର ବି ନାହିଁ ।

 

ଜହ୍ନମାମୁଁ–ହେଇ ଦେଖୁନାହଁ, ସେହି ଦୂରରେ କ’ଣ ଗୁଡ଼ାଏ ଦିଶୁଛନ୍ତି ?

 

ସତକୁ ସତ ମରୁଭୂମି ଭିତରେ ଗୁଡ଼ାଏ ଓଟ ଧାଡ଼ିଧରି ଚାଲିଛନ୍ତି । ସେମାନେ ଏତେ ଦୂରରେ ଯାଉଛନ୍ତି ଯେ କିଛି ବାରି ହେଉ ନାହିଁ ।

 

କାହ୍ନୁ–ତେବେ ଚାଲ ମାମୁଁ ତାଙ୍କ ପାଖକୁ ଯିବା ।

Image

ମରୁଭୂମିର ଯାତ୍ରୀଦଳ

 

ଜହ୍ନମାମୁଁ ଠେକୁଆର ଲାଞ୍ଜଟାକୁ ଟିକିଏ ମୋଡ଼ିଦେଲେ । ଠେକୁଆ, ଜହ୍ନମାମୁଁ ଆଉ କାହ୍ନୁ ସାଙ୍ଗେ ସାଙ୍ଗେ ଯାଇ ଯାତ୍ରୀଦଳଙ୍କ ପାଖରେ ପହଞ୍ଚିଲେ ।

Image

ଯାତ୍ରୀଦଳର ନେତା

 

ଦଳପତିଙ୍କ ପାଖକୁ ଯାଇ କାହ୍ନୁ ପଚାରିଲା–ଆମେ ତମ ସାଙ୍ଗରେ ଯିବୁ ?

 

ଦଳପତି ଗୋଟିଏ ଘୋଡ଼ା ପିଠିରେ ଚଢ଼ିଥିଲେ । ସେ ଓଟଲୋମର ଧଳାକଳାମିଶା ଡୋରିଆ ପୋଷାକ ପିନ୍ଧିଥାନ୍ତି । ତାଙ୍କ ମୁଣ୍ଡରେ ଖଣ୍ଡେ ଲମ୍ବା ରେଶମ ଲୁଗା ପଗଡ଼ିପରି ଗୁଡ଼ା ହୋଇଥାଏ, ତା’ର ତଳ ଅଂଶ ପିଠିଆଡ଼େ ଝୁଲୁଥାଏ ।

 

ଦଳପତି କହିଲେ–ହେଉ ଆସ ।

 

ଜହ୍ନମାମୁଁ କହିଲେ–ତମର ଆଉ ଅଧିକା ଓଟ ନାହାନ୍ତି ? ମୁଁ ଗୋଟାକ ଉପରେ ଚଢ଼ନ୍ତି-

 

ଦଳପତି ହସି ହସି କହିଲେ–ହେଉ ।

 

ସେ ଦଳରେ ଗୋଟିଏ ଅଧିକା ଓଟ ଥିଲା । ତା’ ଉପରେ କେହି ଚଢ଼ାଳି ନ ଥିଲେ । ଓଟପାଳକ ଓଟକୁ ଆଣ୍ଠୁମାଡ଼ି ନଇଁପଡ଼ିବା ପାଇଁ ଇସାରା ଦେଲା । ଓଟଟି ବାଲି ଉପରେ ହାମୁଡ଼ି ପଡ଼ିଲା । ଜହ୍ନମାମୁଁ ଓଟ ପିଠିରେ ବସିଲେ । ଏ ଜଣେ ନୂଆ ଲୋକ ଜାଣି ଓଟ ଜହ୍ନମାମୁଁଙ୍କୁ ହଠାତ୍ ଛିଞ୍ଚାଡ଼ି ଦେଲା । ଜହ୍ନମାମୁଁ ବାଲିରେ ପଡ଼ିଗଲେ । ତାଙ୍କ ଆଖିକାନରେ ବାଲି ପଶିଗଲା । ଏ ଦୃଶ୍ୟ ଦେଖି ସମସ୍ତେ ଠୋ ଠୋ ହସିଲେ ।

 

ଜହ୍ନମାମୁଁ ଛାଡ଼ିବାର ଲୋକ ନୁହନ୍ତି । ସେ ପୁଣି ଥରେ ଓଟପିଠିରେ ଚଢ଼ିଲେ । ଏଥର ଖୁବ୍ ଦମ୍ଭଧରି ବସିଲେ । ଓଟ ଯେମିତି ଠିଆହୋଇ ପଡ଼ିଲା, ଜହ୍ନମାମୁଁ ପୁଣି ଗୋଟାଏ ଆଚ୍ଛା କଚଡ଼ା ଖାଇଲେ । ସେ ଓଟପିଠିରେ ଚଢ଼ି ଯିବାକୁ ଆଉ ମନ ବଳାଇଲେ ନାହିଁ ।

 

ଏହି ଯାତ୍ରୀଦଳ ସାଙ୍ଗରେ କାହ୍ନୁ ଆଉ ଜହ୍ନମାମୁଁ କିଛିଦୂର ଗଲେ । ଦିନ ଅଧ‌ିକ ହେବାରୁ ସୂର୍ଯ୍ୟ କିରଣ ପ୍ରଖର ହେଲା। ବାଲି ଇମିତି ତାତିଗଲା ଯେ ସେଥୁରେ ପାଦ ପକାଇଲେ ଫୋଟକା ହୋଇଯିବ । ଖରା ତାତିରେ ସମସ୍ତେ ହାଲିଆ ହୋଇପଡ଼ିଲେ ।

 

ଏତିକିବେଳେ ସେମାନେ ଗୋଟିଏ ମରୁ ଉଦ୍ୟାନରେ ପହଞ୍ଚିଲେ । ସେଠାରେ ଦେଖିଲେ ଯେ କେତେଗୁଡ଼ିଏ ବାମ୍ଫୀ ଅଛି । ଆଉ ଅନେକଗୁଡ଼ିଏ ଖଜୁରିଗଛରେ ପେନ୍ଥାକୁ ପେନ୍ଥା ଖଜୁରି କୋଳି ଝୁଲୁଛି ।

 

Image

ମରୁ ଉଦ୍ୟାନ

 

ଓଟଗୁଡ଼ିକ ଆଣ୍ଠୁମାଡ଼ି ବସିବାରୁ ଦଳର ସବୁ ଲୋକ ଓଟପିଠିରୁ ତଳକୁ ଓହ୍ଲାଇଲେ । ଓଟପିଠିରେ ଲଦା ହୋଇ ଯେଉଁ ତମ୍ବୁସବୁ ଆସିଥିଲା ସେଗୁଡ଼ିକ ଖଞ୍ଜା ହେଲା । ସମସ୍ତେ ଟିକିଏ ଟିକିଏ କଫି ପିଇ ଆରାମ କଲେ । ଜହ୍ନମାମୁଁ ଥରକୁ ଥର ଛଅ ପିଆଲା କଫି ପିଇଲେ । ତେବେ ଯାଇ ତାଙ୍କ ମନ ମାନିଲା ।

 

କାହ୍ନୁ ବରାବର ମନେମନେ ଭାବୁଥାଏ–ଏ ଲୋକଗୁଡ଼ିକ କି ଜାତିର ଲୋକ ? ଜହ୍ନମାମୁଁଙ୍କୁ ଏକାନ୍ତରେ ପଚାରି ବୁଝିଲା ଯେ ସେମାନେ ହେଉଛନ୍ତି ଆରବ । ଆରବମାନଙ୍କ ଭିତରେ ପୁଣି କେତେ ଉପଜାତି ଅଛନ୍ତି । ଏମାନେ ହେଲେ ବେଦୁଇନ୍ ଆରବ ।

 

ବେଦୁଇନ୍‌ମାନଙ୍କ ତମ୍ବୁ ଛେଳି କିମ୍ବା ଓଟଲୋମରେ ତିଆରି ହୋଇଥାଏ । ଏହାକୁ ଖାଞ୍ଚିବାପାଇଁ ଛଅଟା କିମ୍ବା ଆଠଟା ଲମ୍ବ କାଠଖୁଣ୍ଟି ଦରକାର ହୁଏ । କାଠର କୀଳା ପୋତି ଖୁଣ୍ଟିଗୁଡ଼ିକ ଦଉଡ଼ିରେ ବାନ୍ଧି ଦିଆଯାଏ ଓ ତମ୍ବୁ ଭିତରେ ଗୋଟିଏ ପରଦା ଝୁଲାଇ ଦିଆଯାଏ । ତମ୍ବୁଟି ଦୁଇ ଭାଗରେ ବିଭକ୍ତ ହୁଏ । ଗୋଟାଏ କୋଠରୀରେ ସ୍ତ୍ରୀଲୋକ ଓ ପିଲାଝିଲା ରହନ୍ତି । ଅନ୍ୟ କୋଠାରୀରେ ପୁରୁଷଲୋକମାନେ ରହନ୍ତି ।

 

Image

ବେଦୁଇନ୍‍ମାନଙ୍କ ତମ୍ବୁ

 

ଦଳପତି କାହ୍ନୁ ଆଉ ଜହ୍ନମାମୁଁଙ୍କୁ ତମ୍ବୁ ଭିତରକୁ ଡାକିଲେ । ସମସ୍ତେ ତମ୍ବୁ ଭିତରେ ମସିଣାରେ ବସିଲେ । ବେଦୁଇନ୍‍ମାନେ ବଡ଼ ଅତିଥିପରାୟଣ । ଆଜି ସେମାନେ ଦୁଇଜଣ ନୂଆ ଅତିଥି ପାଇଛନ୍ତି । ତାଙ୍କ ଖିଆପିଆ କଥା ଆଗ ବୁଝିବା ଦରକାର । ଖିଆପିଆର ଆୟୋଜନ ହେଲା ।

 

ତମ୍ବୁ ସାମନାରେ ଅଳ୍ପ କିଛି ଜାଗା ବାଡ଼ଦେଇ ଘେରା ହୋଇଥାଏ । ଏଠାରେ ସ୍ତ୍ରୀଲୋକମାନେ ନିଆଁ ଜାଳି ରନ୍ଧାରନ୍ଧି କରୁଥାନ୍ତି । ନିଆଁ ତେଜରେ ତମ୍ବୁ ଭିତରଟା ଆଲୋକିତ ହେଉଥାଏ ।

 

କିଛିକ୍ଷଣ ପରେ ବେଲା ଆକାରରେ ଗୋଟିଏ ବଡ଼ ପାତ୍ରରେ ଖାଦ୍ୟସାମଗ୍ରୀ ଆସିଲା । ଜହ୍ନମାମୁଁ ସେତେବେଳକୁ ଭୋକରେ ଆଉଟପାଉଟ ହେଲେଣି । ଖାଇବା ପଦାର୍ଥ ଦେଖି ତାଙ୍କ ପାଟିରୁ ଲାଳ ବୋହିଲା । ସେ ପଚାରିଲେ–ଏ ପାତ୍ରଟିରେ କ’ଣ ଅଛି ?

 

ଦଳପତି କହିଲେ–ଏଥିରେ ମାଂସ ଓ ଅଟାରେ ପ୍ରସ୍ତୁତ ଆମଦେଶର ଗୋଟାଏ ପ୍ରକାର ଖାଇବା ପଦାର୍ଥ ଅଛି ।

 

ପାତ୍ରଟି ଜଣକ ପରେ ଆଉ ଜଣକ ପାଖକୁ ବଢ଼ାଇ ଦିଆଯାଉଥାଏ । ଜଣ ଜଣ କରି ସମସ୍ତେ ସେହି ପାତ୍ରରୁ ଖାଇଲେ । ତା’ପରେ ଆସିଲା ଖଜୁରି କୋଳି ଓ ଆଉ କିଛି ମିଷ୍ଟାନ୍ନ । ଏତିକି ଖାଇସାରିଲା ପରେ ଗୋଟିଏ ବଡ଼ ମାଟିପାତ୍ରରେ ପିଇବାପାଣି ପହଞ୍ଚିଲା । ଏହି ପାତ୍ରରୁ ଜଣକ ପରେ ଜଣେ ପାଣି ପିଇଲେ ।

 

ଜହ୍ନମାମୁଁ ପେଟୁଲୋକ । ନୂଆପ୍ରକାର ଖାଦ୍ୟ ତାଙ୍କୁ ବଡ଼ ଭଲ ଲାଗିଲା । ସେ ସେଥିରୁ ଗୁଡ଼ାଏ ଖାଇଦେଲେ । ପାଣି ପିଇଦେବା ପରେ ତାଙ୍କ ପେଟ ଏତେ ପୂରିଗଲା ଯେ ସେ ଆଉ ହଲଚଲ ହୋଇପାରିଲେ ନାହିଁ ।

 

ତମ୍ବୁର ଅନ୍ୟ କୋଠରୀରୁ ସ୍ତ୍ରୀଲୋକମାନେ ଏ ଅତିଥି ଦୁଇଜଣଙ୍କ ଢଙ୍ଗଢାଙ୍ଗ ଦେଖି ମୁରୁକି ମୁରୁକି ହସୁଥାନ୍ତି ।

 

ଖିଆପିଆ ସରିଲା । ବେଦୁଇନ୍‌ମାନଙ୍କ ଭିତରୁ ଜଣେ ବଂଶୀ ବଜାଇବାକୁ ଆରମ୍ଭ କଲେ । ଏ ଗୋଟିଏ ପ୍ରକାର ମଉଜ ।

 

ଦଳପତି ଓ ତାଙ୍କ ସାଙ୍ଗମାନେ ହୁକା ଟାଣିଲେ । କାହ୍ନୁକୁ ହୁକାର କଡ଼ା ଧୂଆଁ ବ୍ୟସ୍ତ କରି ପକାଇଲା । ଜହ୍ନମାମୁଁ କେବେହେଲେ ହୁକା ଟାଣି ନାହାନ୍ତି । କିନ୍ତୁ ଯାଚିବା ମାଲ ସେ କେବେ ଛାଡ଼ନ୍ତି ନାହିଁ । ତେଣୁ ହୁକାନଳୀରେ ମୁହଁ ଲଗାଇ ସେ ଘୁଡ଼ୁଘୁଡ଼ୁ କରି ଚାରିପାଞ୍ଚ ଥର ହୁକା ଟାଣିଦେଲେ । ଆଉ ଯାଆନ୍ତି କୁଆଡ଼େ ! କଡ଼ୁଆ ଧୂଆଁରେ ତାଙ୍କ ମୁଣ୍ଡ ବୁଲେଇ ଦେଲା । କାହ୍ନୁ ପିଲାଲୋକ । ସେ ହୁକା ଟାଣନ୍ତା କିପରି ?

 

ଏହାପରେ ଆସିଲା କଫି । ଅତିଥିଙ୍କୁ କଫି ଦେବା ବେଦୁଇନ୍‌ମାନଙ୍କ ମଧ୍ୟରେ ବନ୍ଧୁତାର ନିଦର୍ଶନ ।

 

ଖିଆପିଆ, ଅତିଥିସଙ୍ଖୁଳା ସବୁ ସରିଲା ।

 

କାହ୍ନୁ ପାଟିକରି କହିଲା–ତମ ପିଲାଙ୍କ ସାଙ୍ଗରେ ଟିକିଏ ଖେଳନ୍ତି ?

 

ଏହା ଶୁଣି ଚାରିଜଣ ପିଲା ତମ୍ବୁ ଭିତରୁ ବାହାରକୁ ଦଉଡ଼ି ଆସିଲେ ।

 

ଜହ୍ନମାମୁଁ ପଚାରିଲେ–ଝିଅପିଲାମାନେ କାହାନ୍ତି ? ଜଣେ ବାଳକ ଉତ୍ତର ଦେଲା–ସେମାନେ ତମ୍ବୁ ଭିତରେ ଅଛନ୍ତି । ବାଳିକାମାନେ ଖେଳ ଖେଳନ୍ତି ନାହିଁ । ସେମାନେ ମା’ମାନଙ୍କୁ ଘର କାମରେ ସାହାଯ୍ୟ କରନ୍ତି । ସେମାନେ ଲୁଗା ବୁଣନ୍ତି ଓ ସାନପିଲାଙ୍କୁ ଧରନ୍ତି । କେବେ ଯଦି ଗହମ ମିଳେ, ସେମାନେ ଏହାକୁ ଚକିରେ ପେଷି ଅଟା କରନ୍ତି ।

 

କାହ୍ନୁ କହିଲା–ତେବେ ଆସ ଖେଳିବା ।

 

ତହୁଁ ଚାରିଜଣଯାକ ବାଳକ ପାଖରେ ଥ‌ିବା ଗୁଡ଼ାଏ ଖଜୁରିଗଛ ପାଖକୁ ଦଉଡ଼ିଗଲେ । ଚାହୁଁ ଚାହୁଁ ସେମାନେ ଗୋଟାଏ ଗୋଟାଏ ଗଛର ଅଗକୁ ଚଢ଼ିଗଲେ । ଜହ୍ନମାମୁଁ ମୋଟା ଲୋକ । ସେ ଖୁବ୍‌ ଚେଷ୍ଟା କରି ଗୋଟାଏ ଗଛରେ ମୋଟେ ପୁରୁଷେ ଉଚ୍ଚକୁ ଚଢ଼ିଲେ ।

 

ଗଛ ଅଗରେ ପେନ୍ଥାକୁ ପେନ୍ଥା ପାଚଲା ଖଜୁରି କୋଳି ଝୁଲୁଥାଏ । ଆଉ କିଛି କୋଳି ପକେଟରେ ପୂରାଇ ତଳକୁ ଓହ୍ଲାଇ ଆସିଲେ । କାହ୍ନୁ ଓ ଜହ୍ନମାମୁଁଙ୍କୁ ଏହି କୋଳିଗୁଡ଼ିକ ଦେଲେ । କାହ୍ନୁକୁ ଖଜୁରି କୋଳି ଭାରି ଭଲ ଲାଗିଲା । କିନ୍ତୁ ତା’ ମନରେ ଭାରି ଦୁଃଖ ହେଲା ଯେ ସେ ଖଜୁରିଗଛ ଚଢ଼ିପାରିଲା ନାହିଁ ।

 

ଘୋଡ଼ା ଚଢ଼ିବା ଓ ବର୍ଚ୍ଛା ମାରିବା ବାଳକମାନଙ୍କର ଆଉ ଗୋଟିଏ ପ୍ରିୟ ଖେଳ । ମରୁଭୂମିରେ ଅନେକ ଡକାୟତ ଦଳ ଥାଆନ୍ତି । ଅନେକ ସମୟରେ ଡକାୟତ ଦଳଙ୍କ ସାଙ୍ଗରେ ଲଢ଼ିବାକୁ ହୁଏ । ତେଣୁ ବାଳକମାନେ ପିଲାଦିନୁ ଏ ଦୁଇ ଖେଳ ଶିଖନ୍ତି ।

 

ଦୁଇଜଣ ବାଳକ ମୁହାଁମୁହିଁ ହୋଇ କିଛି ଦୂରରେ ଠିଆ ହେଲେ । ପ୍ରତି ବାଳକ ହାତରେ ଦୁଇଟି ବର୍ଚ୍ଛା ଥାଏ । କାହ୍ନୁ ସଙ୍କେତ ଦେବା ମାତ୍ରେ ଜଣେ ବାଳକ ଗୋଟିଏ ବର୍ଚ୍ଛା ତା’ ସମ୍ମୁଖରେ ଥିବା ବାଳକକୁ ଲକ୍ଷ୍ୟ କରି ଖୁବ୍ ଜୋରରେ ମାରିଲା । ସମ୍ମୁଖରେ ବାଳକଟି ଏ ବର୍ଚ୍ଛାକୁ ଗୋଟିଏ ହାତରେ ଧରିନେଇ ସାଙ୍ଗେ ସାଙ୍ଗେ ଅନ୍ୟ ହାତରେ ତା’ ନିଜ ବର୍ଚ୍ଛାଟିକୁ ନିକ୍ଷେପ କଲା । ବର୍ଚ୍ଛାଟା କୁଆଡ଼େ ଜହ୍ନମାମୁଁଙ୍କ ଆଡ଼କୁ ମାଡ଼ି ଆସିବ–ଏହି ଭୟରେ ସେ ସେଠାରୁ ଖଣ୍ଡେ ଦୂର ପଳାଇଗଲେ-

 

ତା’ପରେ ଆଉ ଗୋଟିଏ ଖେଳ । ଗୋଟିଏ ଖୁଣ୍ଟ ପୋତା ହେଲା । ସେଥ‌ିରେ ଜଣେ ବାଳକକୁ ଖଣ୍ଡେ ଲମ୍ବା ଦଉଡ଼ିରେ ବାନ୍ଧି ଦିଆଗଲା । ବାକି ସମସ୍ତେ ଗୋଟିଏ ଗୋଟିଏ ସାନ ଚାବୁକ ହାତରେ ଧରିଲେ । ବନ୍ଧା ହୋଇଥିବା ବାଳକଟି ଚରଖିପରି ଚାରିଆଡ଼େ ଘୂରୁଥାଏ । ଅନ୍ୟ ବାଳକମାନେ ଚାବୁକରେ ତାକୁ ମାରିବାକୁ ଚେଷ୍ଟା କରୁଥାନ୍ତି । ଯେଉଁ ବାଳକର ଚାବୁକ ଧରାପଡ଼ିବ ସେ ବନ୍ଧାହେବ । ବାକି ବାଳକମାନେ ତାକୁ ଚାବୁକମାରି ଘଉଡ଼ିବେ ।

 

ଖେଳି ଖେଳି ବାଳକମାନେ ଥକି ପଡ଼ିଲେ । ସେମାନେ ଗୋଟିଏ ଗଛତଳେ ବସିଲେ । ଜହ୍ନମାମୁଁ ପଚାରିଲେ–ତମେମାନେ କି ପାଠ ପଢ଼ ?

 

ବଡ଼ ବାଳକଟି କହିଲା–ଆମେମାନେ ପିଲାଦିନରୁ ଘୋଡ଼ା ଚଢ଼ିବାକୁ ଓ ଲଢ଼େଇ କରିବାକୁ ଶିଖୁଁ ।

 

କାହ୍ନୁ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲା ।

 

ବଡ଼ ବାଳକଟି କହିଲା–ଆମେମାନେ ଗୋଟାଏ ଜାଗାରେ ବହୁତ ଦିନ ରହୁ ନାହୁଁ । ବରାବର ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ଯାଉଁ । ମେଣ୍ଢା, ଛେଳି ଓ ଓଟ ପାଳିବା ଆମର ପ୍ରଧାନ କାମ । ମରୁଭୂମିରେ ପାଣି ଓ ଘାସ ପାଇବା କଷ୍ଟକର । ଯେଉଁଠାରେ ଟିକିଏ ପାଣି, ଘାସ ବା ଗଛପତ୍ର ଥାଏ, ସେଠାରେ ଆମେମାନେ କିଛିଦିନ ତମ୍ବୁ ପକାଇ ରହୁଁ । ସେଠାରେ ଚରା ସରିଗଲେ ଅନ୍ୟ ଜାଗାକୁ ବାହାରୁଁ । ଯେଉଁଠାରେ ଘାସ ଓ ପାଣି ମିଳେ ସେଠାରେ ତମ୍ବୁ ପକାଇ କିଛିଦିନ ରହୁଁ। ଆମର ଘରଦ୍ଵାର ନାହିଁ । ତମ୍ବୁ ହିଁ ଆମର ଚଳନ୍ତି ଘର ।

 

କାହ୍ନୁ ଏକଥା ଶୁଣି କହିଲା–ବା, ବେଶ୍ ତ । ତମେସବୁ ବୁଲା ଫକୀରପରି ବରାବର ବୁଲୁଥାଅ ? ଏ ଅସରନ୍ତି ବାଲି ଭିତରେ ତମେ ସବୁ ବାଟବଣା ହୁଅ ନାହିଁ ତ ?

 

ବଡ଼ ବାଳକ–ବାପା ଆମମାନଙ୍କୁ ନକ୍ଷତ୍ରଗୁଡ଼ିକର ନାମ ଶିଖାଇ ଦିଅନ୍ତି । ସେହି ନକ୍ଷତ୍ରମାନଙ୍କୁ ଦେଖି ରାତିରେ ଆମର ବାଟ ଠିକଣା କରୁ । ମରୁଭୂମିରେ ରାସ୍ତାଘାଟ ନାହିଁ । କିନ୍ତୁ ଗୋଟାଏ ଗୋଟାଏ ଜାଗାରେ ଅନେକଗୁଡ଼ିଏ ବାମ୍ଫୀ ଥାଏ । ଏପରି ସ୍ଥାନରେ ଗୋଟିଏ ସାନ ଗାଁ ବା ସହର ଗଢ଼ିଉଠେ । ଏହି ଜାଗାମାନଙ୍କରେ ସ୍କୁଲ ବସେ ।

 

ଜହ୍ନମାମୁଁ କହିଲେ–ତମମାନଙ୍କର ସ୍କୁଲ ଦେଖିବାକୁ ମୋର ଭାରି ଇଚ୍ଛା ।

 

କାହ୍ନୁ ହେରିକା ଯେଉଁ ମରୁ ଉଦ୍ୟାନରେ ବିଶ୍ରାମ ନେଉଥିଲେ, ସେଠାରେ ଗୋଟିଏ ସ୍କୁଲ ଥିଲା । କାହ୍ନୁ ଓ ଜହ୍ନମାମୁଁ ସେହି ସ୍କୁଲଟି ଦେଖିବାକୁ ଗଲେ ।

 

ସ୍କୁଲ ଘରଟି କଚା ଇଟାରେ ତିଆରି ।

 

ପିଲାମାନେ ସ୍କୁଲ ଘର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ଜୋତା କାଢ଼ି ବାହାରେ ରଖିଗଲେ । କିନ୍ତୁ ସେମାନଙ୍କ ଟୋପି ମୁଣ୍ଡରେ ଥାଏ । ସେମାନେ ଚଟାଣରେ ବସିଲେ । ତା’ପରେ ଗୀତଗାଇଲା ପରି ବଡ଼ ପାଟିକରି ସମସ୍ତେ ଏକାସ୍ତରରେ ପାଠ ପଢ଼ିଲେ । ଏକାବେଳକେ ସମସ୍ତେ ପାଠ ପଢ଼ିବାରୁ ଭାରି ଗୋଳମାଳ ହେଉଥାଏ ।

 

କାହ୍ନୁ ମନେମନେ ଭାବିଲା–ସ୍କୁଲରେ ଏପରି ପାଟିତୁଣ୍ଡ ହେଲେ ଆମ ମାଷ୍ଟର ଆମକୁ ବାଡ଼େଇ ପକାନ୍ତେ ।

 

କାହ୍ନୁ ପଚାରି ବୁଝିଲା ଯେ ଏମାନଙ୍କ ପାଠପଢ଼ା ଢଙ୍ଗ ଏହିପରି । ବହିଗୁଡ଼ିକର ଆରମ୍ଭ ପ୍ରଥମ ପୃଷ୍ଠାରୁ ନୁହେଁ, ଶେଷ ପୃଷ୍ଠାରୁ । ସେମାନେ ବହିର ଉପର ଆଡୁ ନ ପଢ଼ି ତଳଆଡ଼ୁ ପଢ଼ନ୍ତି । ଆଉ ବାଁ ପାଖରୁ ନ ପଢ଼ି ଡାହାଣ ପାଖରୁ ପଢ଼ନ୍ତି ।

 

ଏପ୍ରକାର ପଢ଼ା ରୀତି କାହ୍ନୁକୁ ବଡ଼ ବିଚିତ୍ର ବୋଧ ହେଲା । ଜହ୍ନମାମୁଁ ଉଁ ଚୁଁ ହେଲେ ନାହିଁ । ସେ କେବେ ପାଠ ପଢ଼ି ନାହାନ୍ତି, ନିପଟ ମୂର୍ଖ–ପାଠପଢ଼ା କଥା ବୁଝିବେ କ’ଣ ?

 

କାହ୍ନୁ ପଚାରିଲା–ଏମାନେ ପଢ଼ୁଛନ୍ତି କ’ଣ ?

 

ବଡ଼ ବାଳକଟି କହିଲା–ଏମାନେ ଆମର ଧର୍ମପୁସ୍ତକ କୋରାନ୍ ପଢ଼ୁଛନ୍ତି । ପ୍ରଥମେ ମାଷ୍ଟର ପଢ଼ାଇ ଦିଅନ୍ତି । ତା’ପରେ ଜଣେ ବଡ଼ଚାଟ ପଢ଼େ । ଆଉସବୁ ବାଳକ ପାଳି ଧରନ୍ତି । ଏହିପରି ପଢ଼ୁଁ ପଢ଼ୁଁ କୋରାନ୍‌ର କେତେକ ଅଂଶ ମୁଖସ୍ଥ ହୋଇଯାଏ । ତା’ପରେ ସମସ୍ତେ ମନରୁ ଆବୃତ୍ତି କରନ୍ତି । ମାଷ୍ଟର ହାତରେ ବେତ ଧରି ଜଗି ବସିଥାନ୍ତି । ଯେ କହି ନ ପାରେ ତା’ ପିଠିରେ ପଟାସ୍ କରି ବେତମାଡ଼ ବସେ ।

 

କାହ୍ନୁ ପଚାରିଲା–ସ୍କୁଲରେ କେହି ଝିଅପିଲା ତ ନାହାନ୍ତି ?

 

ବାଳକ–ଝିଅପିଲାମାନେ ସ୍କୁଲରେ ପାଠ ପଢ଼ନ୍ତି ନାହିଁ । ସେମାନେ ଘରକାମ କରନ୍ତି ।

 

ବେଦୁଇନ୍ ବାଳକମାନଙ୍କ ଭିତରୁ ଜଣେ ଖେଳିବାକୁ ଆସିଲା ନାହିଁ କିମ୍ବା ସ୍କୁଲକୁ ଗଲା ନାହିଁ । ସେ ଚୁପ୍‍ଚାପ୍ ବସିଥାଏ ।

 

କାହ୍ନୁ ପଚାରିଲା–ଏ ପିଲାଟିର ଦେହପା ଖରାପ ଅଛି କି ?

 

ବଡ଼ ବାଳକ–ନାଁ, ତା’ର ବେରାମ ଆରମ କିଛି ହୋଇନାହିଁ । ସେ ଭାରି ସ୍ୱାର୍ଥପର । ସବୁବେଳେ ନିଜ ସୁବିଧା କଥାଟି ବୁଝେ । ସେ ଓଟଠାରୁ ବି ବେଶୀ ସ୍ୱାର୍ଥପର ।

 

କାହ୍ନୁ ପଚାରିଲା–ଓଟ କ’ଣ ଏଡ଼େ ସ୍ୱାର୍ଥପର ? ବଡ଼ ବାଳକ–ଗୋଟିଏ ଓଟ ଗପ କହୁଛି, ଶୁଣ । ଓଟ କିପରି ନିଜ କଥା ଆଗ ବୁଝେ, ଏହି ଗପରୁ ଜାଣିବ ।

 

ଦିନେ ରାତିରେ ଭାରି ଥଣ୍ଡା ପଡ଼ିଥାଏ । ଜଣେ ଆରବ ତା’ ତମ୍ବୁ ଭିତରେ ଏକୁଟିଆ ବସିଥାଏ । ସେତିକିବେଳେ ଗୋଟିଏ ଓଟ ତମ୍ବୁ ପାଖରେ ଆସି ପହଞ୍ଚିଲା । ତମ୍ବୁ ଭିତରକୁ ମୁଣ୍ଡଟି ଗଳାଇ ଦେଇ କହିଲା–ବାହାରେ ଭାରି ଥଣ୍ଡା ପଡ଼ିଛି । ମୁଁ ଟିକିଏ ଭିତରକୁ ଯାଆନ୍ତି ?

 

ଆରବ ଲୋକଟି କହିଲା–ତମ ମୁଣ୍ଡଟି ତମ୍ବୁ ଭିତରେ ରଖିପାର ।

 

ଓଟ ମୁଣ୍ଡଟି ତମ୍ବୁ ଭିତରେ ପୂରାଇ ଠିଆ ହେଲା ।

 

କିଛି ସମୟ ପରେ ଓଟ ପୁଣି କହିଲା–ଓଃ କି ଶୀତ ! ମୋ ବେକଟା ତମ୍ବୁ ଭିତରେ ରଖନ୍ତି କି ?

 

ଆରବ କହିଲା–ହେଉ, ହେଉ ।

 

ଓଟ ବେକ ପର୍ଯ୍ୟନ୍ତ ତମ୍ବୁ ଭିତରେ ପୂରାଇ ଠିଆହେଲା ।

 

ତା’ପରେ ଓଟ ପୁଣି କହିଲା–ମୋ ଦୁଇ ଆଗଗୋଡ଼ ତମ୍ବୁ ଭିତରେ ରଖନ୍ତି କି ? ଗୋଡ଼ ଦୁଇଟା ଆଉ କେତେ ଜାଗା ନେବ ?

 

ଦୟାଳୁ ଆରବ ତମ୍ବୁର ଗୋଟାଏ କୋଣକୁ ଘୁଞ୍ଚିଗଲା । ତମ୍ବୁଟି ଛୋଟ । ତଥାପି ସେ ଓଟର ଗୋଡ଼ ଦୁଇଟି ପାଇଁ ସ୍ଥାନ ଦେଲା ।

 

ଓଟ ଆଧାଅଧି ତମ୍ବୁ ଭିତରକୁ ଯାଇ ଠିଆହେଲା ।

 

ଓଟ ପୁଣି କହିଲା–ମୁଁ ଗୋଟାଯାକ ତମ୍ବୁ ଭିତରକୁ ଯିବାକୁ ଚାହେଁ । ଅଧା ବାହାରେ, ଅଧା ଭିତରେ ରହିଲେ ତୁମ ତମ୍ବୁର ଦୁଆର ଖୋଲା ହୋଇ ରହିବ । ତମକୁ ଥଣ୍ଡା ଧରିବ ।

 

ଆରବ ଲୋକଟି ନାଚାର ହୋଇ କହିଲା–ତେବେ ଆସ ।

 

ଓଟ ଗୋଟାମିତି ତମ୍ବୁ ଭିତରକୁ ପଶିଲା । ତମ୍ବୁ ଭିତରେ ଓଟ ଆଉ ଆରବ ଦୁଇଜଣଙ୍କ ପାଇଁ ଜାଗା ଅଣ୍ଟିଲା ନାହିଁ ।

 

ଏହା ଦେଖି ଓଟ କହିଲା–ହଇ ହେ ! ମୁଁ ଦେଖୁଛି ଏହା ଭିତରେ ଆମ ଦୁଇଜଣଙ୍କ ପାଇଁ ଜାଗା କୁଳଉ ନାହିଁ । ତୁମେ ବରଂ ବାହାରକୁ ଚାଲିଯାଅ । ଏକା ମୋ’ପାଇଁ ଯଥେଷ୍ଟ ଜାଗା ହୋଇଯିବ ।

 

ଏହା କହି ଓଟ ଆରବକୁ ତମ୍ବୁ ଭିତରୁ ବାହାର କରିଦେଲା ।

 

ଗପ କହିସାରି ବଡ଼ ବାଳକଟି କହିଲା–ଏଇଥି ପାଇଁ ମୁଁ କହୁଥିଲି, ‘‘ଓଟଠାରୁ ବି ବେଶି ସ୍ଵାର୍ଥପର ।’’

 

କାହ୍ନୁ–ମୁଁ ତମ ଦେଶକୁ ଆସି ପ୍ରଥମଥର ପାଇଁ ଓଟ ଦେଖିଲି । ଓଃ ! କି ପ୍ରକାଣ୍ଡ ପ୍ରାଣୀ ସେ–ଯେମିତି ଡେଙ୍ଗା ସେମିତି ଲମ୍ବା । ସେ ପୁଣି ଏମିତି ସ୍ୱାର୍ଥପର ?

 

ବଡ଼ ବାଳକ–ନାହିଁ ହେ କାହ୍ନୁ ! ଖାଲି ଦୋଷ ବାଛିଲେ ହେବନାହିଁ । ଏ ପ୍ରାଣୀଟି ଆମର ପରମ ବନ୍ଧୁ । ଆମ ସାଙ୍ଗରେ ଏ ପ୍ରାଣୀଟି ନ ଥିଲେ ଆମେ କ’ଣ ଦଣ୍ଡେ ଚଳି ପାରନ୍ତୁ ? ମୁଁ ଆଗରୁ କହିଛି ଆମର ସ୍ଥାୟୀ ବାସସ୍ଥାନ ନାହିଁ । ସବୁ ଘରକରଣା ଜିନିଷ ସାଙ୍ଗରେ ନେଇ ଆମକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହୁଏ । ମରୁଭୂମିର ଅସୀମ ବାଲୁକାରାଶି ଭିତରେ ଆମର ଜିନିଷପତ୍ର ଓଟ ଛଡ଼ା ଆଉ କୌଣସି ପ୍ରାଣୀ ବୋହିନେଇ ପାରେ ନାହିଁ । ସେ ପିଠିରେ ପ୍ରାୟ ପାଞ୍ଚ ମହଣ ଜିନିଷ ବୋହିନେଇ ପାରେ, ଦିନକୁ ୩୦ ମାଇଲ ପଥ ଅନାୟାସେ ଚାଲିପାରେ । ମରୁଭୂମି ପାରି ହେବାର ଏକମାତ୍ର ଉପାୟ ଓଟ । ଏହି କାରଣରୁ ଓଟକୁ ‘‘ମରୁଭୂମିର ଜହାଜ’’ କୁହାଯାଏ ।

 

ଦେଖୁନାହଁ କାହ୍ନୁ ! ତା’ର ବେକଟା କେଡ଼େ ଲମ୍ବା । ସେଥିପାଇଁ ଯାଉଁ ଯାଉଁ ବେକ ଲମ୍ବାଇ ସେ ତଳୁ ଘାସ ଖାଇପାରେ । ତା’ର ମୁହଁ ଭିତରଟା ଭାରି ଟାଣୁଆ । ତେଣୁ ମରୁଭୂମିରେ ଯେଉଁ କଣ୍ଟାବୁଦା ଜନ୍ମେ ତାକୁ ଖାଇବାରେ ତା’ର କିଛି ଅସୁବିଧା ହୁଏ ନାହିଁ । ତାହାର ଆଖିପତା ଲମ୍ବାଳିଆ । ଏଥିପାଇଁ ତା’ ଆଖିରେ ଖରାଧାସ ବାଜେ ନାହିଁ । ଯେତେବେଳେ ବାଲିଝଡ଼ ଆସେ ଓଟ ତା’ ନାକପୁଡ଼ାକୁ ବନ୍ଦ କରିଦେଇପାରେ ।

 

ଜହ୍ନମାମୁଁ ଏପର୍ଯ୍ୟନ୍ତ ପାଟି ନ ଫିଟାଇ ସବୁକଥା ଶୁଣୁଥିଲେ । ବାଲିଝଡ଼ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ–ବାଲିଝଡ଼ ? ବାଲିଝଡ଼ ଗୋଟାଏ କ’ଣ ମ ?

Image

ମରୁଭୂମିରେ ବାଲିଝଡ଼

 

ବଡ଼ ବାଳକ କହିଲା–ତମେ ତ ଆକାଶରେ ଥାଅ । ଆମର ଏ ମରୁଭୂମିର ବାଲିଝଡ଼ କଥା ଜାଣିବ କାହୁଁ ? ମରୁଭୂମିରେ ବେଳେବେଳେ ପ୍ରବଳ ଝଡ଼ ବହେ । ଏ ଝଡ଼ ବାଲିର ଝଡ଼ । ହାବୁକା ହାବୁକା ଗରମ ବାଲି ଉପରକୁ ଉଠି ଚାରିଆଡ଼େ ଘୋଟିଯାଏ । ଝଡ଼ ହେବା ପୂର୍ବରୁ ଓଟମାନେ ଜାଣି ପାରନ୍ତି । ସେମାନେ ବାଲିଝଡ଼ ଯେଉଁ ଦିଗରୁ ବହୁଥାଏ ସେ ଦିଗକୁ ପଛକରି ଆଣ୍ଠୁମାଡ଼ି ବାଲି ଉପରେ ହାମୁଡ଼ି ପଡ଼ନ୍ତି । ସେମାନଙ୍କ ଉପରେ ପ୍ରବଳ ବାଲିଝଡ଼ ବହିଯାଏ ।

 

ଜହ୍ନମାମୁଁ–ସତେ ? ଆମେ ଏ ଅପନ୍ତରା ରାଇଜକୁ ବାହାରି ଆସିଲୁ ସିନା ! ଏଇକ୍ଷଣି ଯଦି ବାଲିଝଡ଼ ବହେ ଆମ ଅବସ୍ଥା କଅଣ ହେବ ?

 

ବଡ଼ ବାଳକ–ବାଲିଝଡ଼ର ଧକ୍‌କା ସହି ସହି ଆମ ଚମ ଟାଣ ହୋଇଗଲାଣି । ଝଡ଼ ବୋହିଲେ ଆମେ କରୁ କ’ଣ ନା ମୁହଁରେ ଲୁଗା ଘୋଡ଼େଇ ମୁହଁମାଡ଼ି ବାଲି ଉପରେ ଶୋଇପଡ଼ୁ । ତତଲା ବାଲି ଆମ ପିଠି ଉପରେ ସର ସର କରି ବୋହିଯାଏ ।

 

କାହ୍ନୁ–ଓଟ ତା’ହେଲେ ବଡ଼ ହୁସିଆର ପ୍ରାଣୀ ?

 

ବଡ଼ ବାଳକ–ହୁସିଆର ପ୍ରାଣୀ ତ କେତେ ଅଛନ୍ତି । କୁକୁର କ’ଣ କମ୍ ହୁସିଆର ? କିନ୍ତୁ ଓଟର ଆଉ କେତେକ ବିଶେଷ ଗୁଣ ଅଛି । ତାହାର ପିଠି ଉପରେ ଯେଉଁ କୁଜ ଅଛି ସେଥ‌ିରେ ସେ ଚର୍ବି ସାଇତି ରଖେ । ଆଉ ତାହାର ପାକସ୍ଥଳୀ ଏପରି ଯେ ସେଥ‌ିରେ ଗୁଡ଼ାଏ ପାଣି ଭର୍ତ୍ତିକରି ରଖେ । ମରୁଭୂମିରେ ଯିବାବେଳେ କିଛିଦିନ ପର୍ଯ୍ୟନ୍ତ ଆଉ ଖାଇବା ବା ପିଇବା ଦରକାର ହୁଏ ନାହିଁ ।

 

କାହ୍ନୁ–ଆମ ଘର ଗାଇଗୋରୁଙ୍କ ପରି ଓଟ କ’ଣ ଏଡ଼େ ଉପକାରୀ ?

 

ବଡ଼ ବାଳକ–ହଁ, ତମେ ଗାଈଙ୍କ ପାଖରୁ ଯେପରି ଦୁଧ ଦୁହଁ, ଆମେ ମାଈଓଟ ଚିରରୁ ସେହିପରି ଦୁଧ ଦୁହୁଁ । ତାହାର ଲୋମରୁ ଆମେ ଲୁଗା, କମ୍ବଳ ଓ ଦଉଡ଼ି ତିଆରି କରୁ । ଓଟ ବୁଢ଼ା ହୋଇଗଲେ ସେ ଆଉ ଭାର ବୋହିପାରେ ନାହିଁ । ସେତେବେଳେ ତାକୁ ମାରି ତା’ର ମାଂସ ଖାଉଁ-

 

ଏହିପରି କଥାଭାଷା ହେଉଁ ହେଉଁ ସଞ୍ଜ ହୋଇଗଲା । ସମସ୍ତେ ତମ୍ବୁ ଭିତରକୁ ଗଲେ । ତମ୍ବୁ ଭିତରେ ବାଲି ଉପରେ କମ୍ବଳ ଓ ସତରଞ୍ଜି ବିଛା ହୋଇଥାଏ । ତା’ଉପରେ ସମସ୍ତେ ବସିଲେ-। ରାତି ଘଡ଼ିକ ସରିକି ଖିଆପିଆ ସରିଗଲା । ରାତିରେ ଭାରି ଥଣ୍ଡା ପଡ଼ିଲା । ସମସ୍ତେ କମ୍ବଳ ଘୋଡ଼େଇ ହୋଇ ଶୋଇଲେ ।

 

ସକାଳୁ ଉଠି କାହ୍ନୁ ଆଉ ଜହ୍ନମାମୁଁ ଦେଖନ୍ତି ଯେ ସମସ୍ତେ କାମରେ ଲାଗିଯାଇଛନ୍ତି । ପୁରୁଷଲୋକମାନେ ତାଙ୍କ ପଶୁପଲଙ୍କୁ ଚରାଇବାକୁ ନେଇଗଲେ । ସ୍ତ୍ରୀଲୋକମାନେ ଘରକାମରେ ଲାଗିଗଲେ । କେତେଜଣ ସ୍ତ୍ରୀଲୋକ ଚକିରେ ଗହମ ପେଷୁଥାନ୍ତି । ଆଉ କେତେଜଣ ଅଟାକୁ ଦଳି ରୁଟି ସେକୁଥାନ୍ତି । ଆଉ କେତେକ ବାମ୍ଫୀରୁ ପାଣି ଆଣୁଥାନ୍ତି । ଏସବୁ କାମ ସରିଗଲେ ଏହି ସ୍ତ୍ରୀଲୋକମାନେ ପୁଣି ଲୁଗା ବୁଣନ୍ତି, କୁର୍ତ୍ତା ତିଆରି କରନ୍ତି ଓ ତମ୍ବୁ ମରାମତି କରନ୍ତି ।

 

ଜହ୍ନମାମୁଁ ପଚାରିଲା–ସେ ସ୍ତ୍ରୀଲୋକଟି ଗୋଟିଏ ଚମଡ଼ା ଥଳୀକୁ ଝାଙ୍କୁଛି କାହିଁକି ?

 

ଦଳପତି କହିଲେ–ସେ ଦୁଧରୁ ଲହୁଣି ବାହାର କରୁଛି ।

 

କାହ୍ନୁ ଏହା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । ପଚାରିଲା–ଦୁଧ କାହିଁ ନା ଲହୁଣି କାହିଁ ?

 

ଦଳପତି–ଏହି ଦେଖୁନାହଁ, ଗୋଟିଏ ଛେଳି ଚମଡ଼ାର ଥଳୀରେ ଦୁଧ ପୂରାଇ ତା’ର ମୁହଁକୁ ନିବୁଜ କରି ବନ୍ଦ କରି ଦିଆହୋଇଛି । ଥଳୀଟିକୁ ତିନିଖଣ୍ଡ କାଠଖୁଣ୍ଟିରେ ଝୁଲାଇ ଦିଆଯାଇଛି । ଦୁଇଜଣ ସ୍ତ୍ରୀଲୋକ ଥଳୀଟିକୁ ଧୀରେ ଧୀରେ ହଲାଉଛନ୍ତି । କିଛିକ୍ଷଣ ପରେ ଥଳୀ ଭିତରୁ ଦୁଧ ମନ୍ଥି ହୋଇଯିବ । ସେଥିରୁ ଲହୁଣି ବାହାରିବ ।

 

କାହ୍ନୁ କହିଲା–ବାଃ, ଏହା ତ ଗୋଟାଏ ଭଲ କୌଶଳ !

ଦଳପତି–ଆମେ ଏ କୌଶଳ ଶିଖିଲୁ କିପରି ଜାଣ ? ଆମେ ପାଣି, ଦୁଧ ଆଉ ଯେକୌଣସି ତରଳ ପଦାର୍ଥ ଚମଡ଼ାର ଥଳୀରେ ପୂରାଇ ନେଇଯାଉଁ । ଥରେ ଜଣେ ବେଦୁଇନ୍ ଲୋକ ଘୋଡ଼ାରେ ଚଢ଼ି ଯାଉଥିଲା । ଗୋଟିଏ ଛେଳିଚମଡ଼ାର ମୁଣାରେ କିଛି ଦୁଧ ପୂରାଇ ସେ ତାହା ଘୋଡ଼ାର ଗଦିରୁ ଝୁଲାଇ ଦେଇଥାଏ । ଘୋଡ଼ା ଚାଲିବାବେଳେ ସେ ମୁଣିଟି ଲଡ଼ ଲଡ଼ ହୋଇ ଦୋହଲୁଥାଏ । ଲୋକଟି ଯେତେବେଳେ ଘୋଡ଼ାରୁ ଓହ୍ଲାଇଲା, ସେ ଦେଖି ଆଶ୍ଚର୍ଯ୍ୟ ହେଲା ଯେ ଦୁଧରୁ ଲହୁଣି ବାହାରି ପଡ଼ିଛି । ସେହି ଦିନଠୁଁ ଆମେ ଏ ସହଜ ଉପାୟରେ ଲହୁଣି ବାହାର କରୁଛୁ ।

ଦିନ ଦୁଇପହର ହେବା ପୂର୍ବରୁ ଖରା ତେଜରେ ବାଲି ତାତିଗଲା । ସମସ୍ତେ ଆସି ତମ୍ବୁ ଭିତରେ ବିଶ୍ରାମ ନେଲେ । ଓଟଗୁଡ଼ିକ ଚରାଘାସ ପାଇ ଦିନଯାକ ଚରୁଥାନ୍ତି । ଦଳପତି ତାଙ୍କ ଘୋଡ଼ାଟିକୁ ତମ୍ବୁ ଭିତରକୁ ଆଣି ଗୋଟାଏ ଖୁଣ୍ଟରେ ବାନ୍ଧିଦେଲେ । ଠେକୁଆ ଖରା ତେଜ ସହିପାରେ ନାହିଁ । ସେ ବି ତମ୍ବୁ ଭିତରେ ଆଶ୍ରୟ ନେଲା । ବେଦୁଇନ୍‌ମାନେ ତା’ପାଇଁ କିଛି ଘାସ ଆଣିଦେଲେ ।

କାହ୍ନୁ ପଚାରିଲା–ଘୋଡ଼ାଟାକୁ ତମେ ତମ୍ବୁ ଭିତରେ ପୂରାଇଲ କାହିଁକି ?

ଦଳପତି କହିଲେ–ଘୋଡ଼ାକୁ ଆମେ ଗୋଟାଏ ମୂଲ୍ୟବାନ ପ୍ରାଣୀ ମନେକରୁ । ଆମ ଘୋଡ଼ାଗୁଡ଼ିକ ଭାରି ସୁନ୍ଦର, ସାହସୀ ଓ ତତ୍ପର । ତା’କୁ ଆମ ପରିବାରର ଜଣେ ମଣିଷ ବୋଲି ଗଣୁ । ଦୁଇପହରର ତାତି ସହି ପାରିବ ନାହିଁ ବୋଲି ତାକୁ ତମ୍ବୁ ଭିତରେ ଆଣି ବାନ୍ଧିଛୁଁ ।

 

କାହ୍ନୁ–ତମ ସ୍ତ୍ରୀଲୋକମାନଙ୍କ ସାଙ୍ଗରେ ଆମର ଚିହ୍ନା ପରିଚୟ ହୋଇ ନାହିଁ । ସେମାନେ କ’ଣ ଲାଜକରି ଆମ ଆଗକୁ ଆସୁ ନାହାନ୍ତି ?

 

ଦଳପତି–ହଁ ଆମ ସ୍ତ୍ରୀଲୋକମାନେ ପୁରୁଷଲୋକଙ୍କ ସାମନାରେ ମୁହଁ ଦେଖାନ୍ତି ନାହିଁ । ସେଥିପାଇଁ ଏ ତମ୍ବୁରେ ଗୋଟିଏ ପରଦା ଝୁଲେଇ ଦିଆଯାଇଛି । ସେମାନେ ପରଦାର ଅନ୍ତରାଳରେ ରହିଛନ୍ତି ।

 

ଜହ୍ନମାମୁଁ–ମରୁଭୂମିରେ ଯାତ୍ରା କଲାବେଳେ ସ୍ତ୍ରୀଲୋକମାନେ କ’ଣ ମୁହଁ ଘୋଡ଼ାଇ ଦେଇଥାନ୍ତି ?

 

ଦଳପତି–ନାଁ, ତା’ ନୁହେଁ । ମୁହଁ ଘୋଡ଼ାଇବେ କାହିଁକି ? ସେମାନଙ୍କ ପାଇଁ ଓଟପିଠିରେ ଗୋଟିଏ ଡୋଲି ବାନ୍ଧି ଦିଆଯାଏ । ଡୋଲିଟି ଖୋଲା ନୁହେଁ, ଚାରିଆଡ଼େ ନିବୁଜ । ଏହା ଭିତରେ ସ୍ତ୍ରୀଲୋକମାନେ ବସନ୍ତି । ବାହାରର କୌଣସି ଲୋକ ସେମାନଙ୍କୁ ଦେଖିପାରନ୍ତି ନାହିଁ । ଓଟ ଚାଲିଗଲାବେଳେ ସେମାନେ ଏପାଖ ସେପାଖ ହୋଇ ଦୋହଲୁଥାନ୍ତି ।

 

କାହ୍ନୁ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲା–ମୋ’ପରି ସାନ ପିଲାଙ୍କୁ ତମ ସ୍ତ୍ରୀଲୋକମାନେ କ’ଣ ଲାଜ କରିବେ ?

 

ଦଳପତି–ଆଚ୍ଛା, ତମେ ଏକୁଟିଆ ଆସ । ଜହ୍ନମାମୁଁ ଏହିଠାରେ ଥାଆନ୍ତୁ ।

 

କାହ୍ନୁ ଦଳପତିଙ୍କ ସଙ୍ଗରେ ଗଲା । ଦଳପତି ସ୍ତ୍ରୀଲୋକମାନଙ୍କ ମହଲରେ ତାକୁ ପରିଚିତ କରାଇଦେଲେ । କାହ୍ନୁ ସାଙ୍ଗରେ ଜଣେ ବେଶୀ ବୟସର ସ୍ତ୍ରୀଲୋକ କଥାବାର୍ତ୍ତା କଲା । ଆଉ ସମସ୍ତେ ମୁହଁ ଘୋଡ଼ାଇ ବସିଥାନ୍ତି । କାହ୍ନୁ ସେମାନଙ୍କ ବେଶଭୂଷାକୁ ଖାଲି ଅନାଇଥାଏ ।

 

ସ୍ତ୍ରୀଲୋକଟି କାହ୍ନୁକୁ ପଚାରିଲା–ହଇରେ ବାପ ! ତୁ କେଉଁ ରାଇଜରୁ ଆମ ଦେଶକୁ ଆସିଛୁ ? ଆମର ଏଟା ମରୁଭୂମିର ଦେଶ । ଏ ଦେଶରେ ଚଳପ୍ରଚଳ ହେବା କଷ୍ଟର କଥା । ଏଠାରେ ପାଣି ଟୋପାଏ ପାଇବା ମୁସ୍କିଲ ।

 

କାହ୍ନୁ–ଆମେ ତମ ଦେଶ ବୁଲିବାକୁ ଆସିଛୁ । ତମେମାନେ ଆମ ଖିଆପିଆର ଖବର ବୁଝୁଛ । ଆମର କିଛି ଅସୁବିଧା ହେଉ ନାହିଁ ।

 

ଏହିପରି କଥାବାର୍ତ୍ତା ହୋଇ କାହ୍ନୁ ସ୍ତ୍ରୀଲୋକମାନଙ୍କରଠାରୁ ବିଦାୟ ନେଇ ଆସିଲା । ଜହ୍ନମାମୁଁ କାହ୍ନୁକୁ ଅନାଇ ବସିଥିଲେ । କାହ୍ନୁ ଆସିବାମାତ୍ରେ ତାକୁ କହିଲେ–କାହ୍ନୁ ତୋର ବଡ଼ ଭାଗ୍ୟ । ସ୍ତ୍ରୀଲୋକ ମହଲରେ ତୁ କ’ଣ ଦେଖିଲୁ କହ ତ ?

 

କାହ୍ନୁ କହିଲା–ଏ ସ୍ତ୍ରୀଲୋକମାନଙ୍କ ବେଶଭୂଷା କି ଚମତ୍କାର ! ସ୍ତ୍ରୀଲୋକମାନେ ରଙ୍ଗ ବେରଙ୍ଗର ଜିଲା ଘାଗରା ପିନ୍ଧିଛନ୍ତି । ତା’ ଉପରେ ଗୋଟିଏ କମରବନ୍ଦ ବାନ୍ଧିଛନ୍ତି । କେହି ନୀଳ ରଙ୍ଗର, କେହି ଲାଲ ରଙ୍ଗର, ଆଉ କେହି ହଳଦିଆ ରଙ୍ଗର ଖଣ୍ଡେ ଖଣ୍ଡେ ବଡ଼ ରୁମାଲ ମୁଣ୍ଡରେ ଗୁଡ଼ାଇଛନ୍ତି । ଆଉ ବେକରୁ ଲମ୍ବିଛି ହାର ।

 

Image

ବେଦୁଇନ୍‍ ସ୍ତ୍ରୀଲୋକର ପୋଷାକ

 

ଜହ୍ନମାମୁଁ କହିଲେ–ପୁରୁଷ ଲୋକମାନଙ୍କ ପୋଷାକ ତ ଭିନ୍ନ ପ୍ରକାର ।

 

ଏହି ଦେଖୁନାହଁ ସେମାନେ କ’ଣ ପିନ୍ଧିଛନ୍ତି ? ଭିତରେ ରେଶମ କିମ୍ବା ସୂତାରେ ତିଆରି ଗୋଟିଏ ଜାକକୁର୍ତ୍ତା । ତା’ଉପରେ ଓଟ ଲୋମରୁ ତିଆରି ଗୋଟିଏ ଢିଲା ଅଙ୍ଗରଖା । ତା’ ଉପରେ ଅଣ୍ଟାରେ ଗୋଟିଏ ଚମଡ଼ା ପଟି ବନ୍ଧା ହୋଇଛି । ଏଥ‌ିରେ କେହି ପିସ୍ତଲ ଆଉ କେହି ବର୍ଚ୍ଛା ଖୋସିଛନ୍ତି ।

 

କାହ୍ନୁ କହିଲା–ମାମୁଁ ! ତାଙ୍କ ମୁଣ୍ଡ ପୋଷାକ ଦେଖିଲଣି ? କେଡ଼େ ବିଚିତ୍ର ଦିଶୁଛି !

Image

ବେଦୁଇନ୍ ପୁରୁଷ ଲୋକଙ୍କ ପୋଷାକ

 

ଜହ୍ନମାମୁଁ–ହଁ, ମୁଣ୍ଡରେ ସୂତା କିମ୍ବା ରେଶମର ଖଣ୍ଡିଏ ରଙ୍ଗଢଙ୍ଗିଆ ଲୁଗା ଦୁଇପରସ୍ତ ଗୁଡ଼ା ହୋଇଛି । ତା’ର ଦୁଇପାଖ ତଳକୁ ଓହଳିଛି । ତା’ ଉପରେ ଓଟଲୋମରୁ ବଳା ହୋଇଥିବା ଗୋଟିଏ ପଟି ବନ୍ଧା ହୋଇଛି ।

 

କାହ୍ନୁ ଓ ଜହ୍ନମାମୁଁ ଦ୍ୱିତୀୟ ଦିନ ରାତିଟି ମଧ୍ୟ ବେଦୁଇନ୍‌ମାନଙ୍କ ତମ୍ବୁରେ କଟାଇଲେ । ରାତିରେ ସମସ୍ତେ ଶୋଇଯିବାରୁ ଜହ୍ନମାମୁଁ କାହ୍ନୁକୁ ଚୁପ୍ ଚୁପ୍ କହିଲେ–ଦେଖ, କାହ୍ନୁ ! କାଲି ବଡ଼ି ସକାଳୁ ଆମେ ଏମାନଙ୍କଠାରୁ ବିଦାୟ ନେଇଯିବା । ଆଉ ବେଶିଦିନ ଏମାନଙ୍କ ଗହଣରେ ରହିବା ଉଚିତ ନୁହେଁ ।

 

କାହ୍ନୁ କହିଲା–ଆଉ ଦିନେ ଓଳିଏ ରହିଗଲେ ଭଲ ହୁଅନ୍ତା । ଏମାନେ ଆମକୁ କେଡ଼େ ଆଦର ଯତ୍ନ କରୁଛନ୍ତି !

 

ଜହ୍ନମାମୁଁ–ନାହିଁରେ କାହ୍ନୁ ! ତୁ ପିଲାଲୋକ । ତୁ ସବୁକଥା ବୁଝି ନାହୁଁ । ତୁ ଜାଣି ନାହୁଁ, ଏହି ବେଦୁଇନ୍‌ମାନେ ବଡ଼ ବିଷମ ଲୋକ । ଏମାନଙ୍କର ଘରଦ୍ୱାର ନାହିଁ । ଏମାନେ ବାରବୁଲା ଜାତି; ପଶୁପାଳକ । ପଶୁପଲ ନେଇ ମରୁଭୂମି ଭିତରେ ଏଣେତେଣେ ବୁଲୁଥାନ୍ତି । ଏମାନେ ଢୋକେ ପିଇ ଦଣ୍ଡେ ଜିଇ ରହନ୍ତି । ସୁବିଧା ସୁଯୋଗ ପାଇଲେ ଚୋରି ଡକାୟତ କରିବା ଏମାନଙ୍କର ଅଭ୍ୟାସ ।

 

କାହ୍ନୁ କହିଲା–କ’ଣ କହୁଛ ମାମୁଁ ? ଏମାନେ ଡକାୟତି କରନ୍ତି ? ଏ ମରୁଭୂମି ଭିତରେ ଲୋକବାକ କାହାନ୍ତି ଯେ ତାଙ୍କଠାରୁ ଚୋରି କରିବେ ?

 

ଜହ୍ନମାମୁଁ–ମରୁଭୂମି ଭିତରେ ବହୁତ ବଣିକଦଳ ଯା’ ଆସ କରନ୍ତି । ଜିନିଷପତ୍ର ନେଇଯିବା ପାଇଁ ଏ ଅଞ୍ଚଳରେ ରାସ୍ତାଘାଟ ନାହିଁ କି ନଈନାଳ ନାହିଁ ସେଥିପାଇଁ ସେମାନେ ଓଟପିଠିରେ ଜିନିଷ ବୋହି ନିଅନ୍ତି । ସେମାନେ ଦଳ ଦଳ ହୋଇ ଯାଆନ୍ତି; କାରଣ ଅଳ୍ପଲୋକ ଥିଲେ ବେଦୁଇନ୍‌ମାନେ ସହଜରେ ତାଙ୍କ ଜିନିଷପତ୍ର ଲୁଟି କରିନେବେ ।
 

ଏକଥା ଶୁଣି କାହ୍ନୁ, ମନରେ ଭୟ ହେଲା ।

 

ଜହ୍ନମାମୁଁ କହିଲେ–କାହ୍ନୁ, ତୁ ଭୟ କରୁଛୁ ? ଆମ ପାଖରେ କ’ଣ ଅଛି ଯେ ଏମାନେ ଲୁଟିନେବେ ? ଏମାନଙ୍କର ଗୋଟିଏ ଭଲ ଗୁଣ ଅଛି । କୌଣସି ଅଜଣା ଲୋକ ଏମାନଙ୍କ ଅତିଥି ହେଲେ ତାହାର କୌଣସି ଅନିଷ୍ଟ କରନ୍ତି ନାହିଁ ।

 

କଥା କହୁ କହୁ ରାତି ଅଧ ହୋଇଗଲା । କାହୁ ଓ ଜହ୍ନମାମୁଁ ଶୋଇପଡ଼ିଲେ । ସୂର୍ଯ୍ୟ ଉଇଁବା ପୂର୍ବରୁ ଦୁହେଁଯାକ ବିଦାୟ ନେଇଯିବା ପାଇଁ ପ୍ରସ୍ତୁତ ହେଲେ ।

 

ଜହ୍ନମାମୁଁ ଦଳପତିଙ୍କୁ କହିଲେ–ଆମକୁ ବିଦାୟ ଦିଅ । ଦୁଇଦିନ ହେଲା ତମର ଅତିଥି ହୋଇ ରହିଲୁଁ । ଆମର ଯେପରି ଚର୍ଚ୍ଚାକଲ ତାହା କେବେ ଭୁଲିପାରିବୁ ନାହିଁ ।

 

ଦଳପତି କହିଲେ–ଆମେ ବି ବାହାରିଛୁ–ଆଉ ଗୋଟିଏ ଚରାଭୂଇଁକୁ ଯିବୁ । ଏଇ ଦେଖ ଆମ ଜିନିଷପତ୍ର ବନ୍ଧାବନ୍ଧି ହେଉଛି ।

 

କାହ୍ନୁ ଓ ଜହ୍ନମାମୁଁ ଦେଖିଲେ–ତମ୍ବୁଟି ସାଙ୍ଗେ ସାଙ୍ଗେ ବାହାର କରି ଗୁଡ଼େଇ ଦିଆଗଲା-। ତମ୍ବୁର ଖୁଣ୍ଟଗୁଡ଼ିକ ଏକାଠି ବାନ୍ଧି ଦିଆଗଲା । କମ୍ବଳ ଭିତରେ କୀଳାଗୁଡ଼ିକ ପୂରାଇ ବୋକଚା ବନ୍ଧା ହେଲା । ଗୋଟିଏ ଓଟ ପିଠିରେ ଏସବୁ ଲଦା ହେଲା । ଆଉ ଗୋଟିଏ ଓଟ ଉପରେ ମସିଣା ଓ ବସ୍ତା ବସ୍ତା ଖଜୁରି କୋଳି ଲଦା ହେଲା । ଆଉ ଗୋଟାକ ପିଠିରେ ଓଟ ଚମଡ଼ା ଓ ଛେଳି ଚମଡ଼ାର ଥଳୀମାନଙ୍କରେ ପାଣି ପଶି ଲଦା ହେଲା । ସ୍ତ୍ରୀଲୋକ ଓ ପିଲାମାନେ ଓଟ ପିଠିରେ ଚଢ଼ିଲେ । ଦଳପତି ଘୋଡ଼ାରେ ଚଢ଼ିଲେ । ଏପରି ସଜବାଜ ହୋଇ ବେଦୁଇନ୍‌ମାନେ ସେମାନଙ୍କ ଯାତ୍ରା ଆରମ୍ଭ କଲେ ।

 

ଜହ୍ନମାମୁଁ ଠେକୁଆ ପିଠିରେ ବସିଲେ । କାହ୍ନୁ ଜହ୍ନମାମୁଁଙ୍କ କୋଳରେ ବସିଲା । ସେମାନେ ବେଦୁଇନ୍‌ମାନଙ୍କଠାରୁ ଶେଷ ବିଦାୟ ନେଇ ବାହୁଡ଼ାଯାତ୍ରା କରିବାକୁ ବାହାରିଲେ ।

 

ଜହ୍ନମାମୁଁ ସଙ୍କେତ ଦେଲେ–ଏକ, ଦୁଇ, ତିନି । ଠେକୁଆ ଉଡ଼ି ଉଡ଼ି ଉପରକୁ ଉଠିଲା । କାହ୍ନୁ ଓ ଜହ୍ନମାମୁଁ ମୁହଁ ଫେରାଇ ବେଦୁଇନ୍‌ମାନଙ୍କୁ ଥରକୁ ଥର ଅନାଉଥାନ୍ତି ।

 

କିଛିକ୍ଷଣ ପରେ ବେଦୁଇନ୍‌ମାନେ ଆଉ ଦେଖାଗଲେ ନାହିଁ।

 

ଠେକୁଆ କାହ୍ନୁର ଘରପଛଆଡ଼ ବାଡ଼ିରେ ପହଞ୍ଚିଲା । କାହ୍ନୁ ଜହ୍ନମାମୁଁ କୋଳରୁ ଡିଆଁଟେ ମାରିଦେଲା ।

 

ଜହ୍ନମାମୁଁ କାହ୍ନୁଠାରୁ ବିଦାୟ ନେଇ ଆକାଶ–ରାଇଜକୁ ଚାଲିଗଲେ ।

Image